Unknown

 

 

 

 

 

 

 

 

 

ପହଳୀ ଚଉତିଶା

ଶ୍ରୀ ଦନେଇ ଦାସ

 

(କବି ଅଷ୍ଟାଦଶ ଶତାଦ୍ଦୀର । ବେଗୁନିଆ ଥାନା ଅନ୍ତର୍ଗତ ସାନପଦର ଗ୍ରାମ ତାଙ୍କର ଜନ୍ମ ସ୍ଥାନ ଥିବା ଜନଶ୍ରୁତି ରହିଛି । ତାଙ୍କ ରଚନା ମଧ୍ୟରେ ଗୋପୀଭାଷା, ସାନ କନଡ଼ା ଚଉତିଶା, ବଡ଼ ଉଦ୍ଧବ ଚଉତିଶା, ଯଶୋଦା କୋଇଲି ପ୍ରଭୃତି ରହିଛି । ଗାଁ’ ଗଣ୍ଡାର ରୀତିନୀତିକୁ ଆଧାର କରି ପହଳୀ ରହିଛି । କବିଙ୍କର ଏଇ ଚଉତିଶାଟିରେ ଅନ୍ଧବିଶ୍ୱାସ, କୁସଂସ୍କାର, ସାମାଜିକ ଭାବ, ଲୋକଚଳଣି, ପାପ-ପୁଣ୍ୟ ବିଚାର ପ୍ରଭୃତି ସୁନ୍ଦର ଭାବେ ଫୁଟି ଉଠିଛି । ଗାଁ’ ଦାଣ୍ଡର ଭାଷା, ସରଲ ଓ ସାବଲୀଳ ।)

 

କରମରେ ଥାଇ ଯାହାର ଦଶା,

 

ସେ କିଁପା କରଇ ପରକୁ ଆଶା

 

ପର ସ୍ତିରୀ ଯେବେ ହରଇ ପୁଂଷା

 

କହେ ଦନେଇ ଏ ପାପ ଦୁର୍ଦ୍ଦଶା

।୧।

x x x x

 

ଖଣ୍ଡିଆ ଗୀତ ରଙ୍କ ମାନୀତ

 

ଧୋବା ସଙ୍ଗାତ, ଭଣ୍ଡରୀ ମିତ

 

କହେ ଦନାଇ ଏ କାହିଁକି ହିତ

।୨।

ଗଡ଼ ହୋଇ କରି ନଥାଏ ବଣ

 

ଘର ଗୃହସ୍ଥର ନଥାଇ ପଣ,

 

ଥୋଇଲି ମାଇପ ନୁହଇ ଠଣ

 

କହେ ଦନାଇ ଏ କାହିଁରେ ଗଣ

।୩।

ଘୋର ବରଷା, ରଜନୀ ନିଶା

 

ଘନକାଳେ ଯେବେ ନଥାଇ ପୁଂଷା

 

ଘାଣ୍ଟି ହେଉଥାଇ ଦିବସ ନିଶା

 

କହେ ଦନାଇ ଏ ସ୍ତ୍ରୀଙ୍କ ଦଶା

।୪।

ନଦୀ ହୋଇ କରି ନଥାଏ ଜଳ

 

ଗ୍ରାମ ହୋଇ ନାହିଁ ଗୋ-ଚହଳ,

 

ଯୁବା ସ୍ତିରୀ ମୁଣ୍ଡେ ନଥାଇ ବାଳ

 

କହେ ଦନାଇ ଏ କଥା ନିଷ୍ପଳ

।୫।

ଚିତ୍ତ ଦୃଢ଼ କରି ଶଠ ଲକ୍ଷଣ

 

ଚିତା କାଟି ମାଳା କରେ ଭଜନ,

 

ଚାହେଁ ନେବାପାଇଁ ପରର ଧନ

 

କହେ ଦନାଇ ଏ ଠକ ଦୁର୍ଜ୍ଜନ

।୬।

 

ଭାବାର୍ଥ- (୧-୬) କର୍ମରେ ଯାହାର ଖରାପ ଦଶା ଅଛି, ସେ ପରକୁ କାହିଁକି ଆଶା କରିବ ? ପର ସ୍ତ୍ରୀକୁ ଯେଉଁ ପୁରୁଷ ହରଣ କରେ, ତା’ଠାରୁ ପାପୀ ଏ ସଂସାରରେ କେହି ନାହିଁ । ଦନେଇ କହେ, ଏହା ପାପ । ଖଣ୍ଡିଆଗୀତ ରଙ୍କ ମାନୀ, ଧୋବା ସଙ୍ଗାତ, ଭଣ୍ଡାରି ମିତ- ଏମାନେ କେତେବେଳେ ହେଲେ କାହାକୁ ହିତ ନୁହଁନ୍ତି । ଗଡ଼ ଥାଇ ବଣ ନ ଥିବ, ଘର ମଧ୍ୟରେ ଗୃହସ୍ଥର ତିଆରିବା ପଣ ନ ଥିବ, ଥୋଇଲା ମାଇପର ଠଣ ବା ଢଙ୍ଗ ନ ଥିବ, ତେବେ ଏମାନେ କାହିଁରେ ଗଣା ହେବେ ? ପ୍ରବଳବର୍ଷା, ରାତ୍ରିର ଅନ୍ଧକାର, ବର୍ଷାକାଳରେ ଯଦି ପୁରୁଷ ପାଖରେ ନାହିଁ ତେବେ ସ୍ତ୍ରୀଟି ରାତିଦିନ ବିରହରେ ଘାଣ୍ଟି ହେବା ସାର । ଦନାଇ କହେ, ଏହିଭଳି ଦଶା ସ୍ତ୍ରୀଙ୍କୁ କଷ୍ଟ ଦିଏ ।

 

ଦନାଇ ପୁଣି କହୁଛି- ନଦୀ ଥିବ ଜଳ ନ ଥିବ, ଗ୍ରାମ ଥିବ ଗହଳଚହଳ ନ ଥିବ, ଯୁବା ସ୍ତ୍ରୀର ମୁଣ୍ଡରେ ବାଳ ନ ଥିବ, ତେବେ ଏ ସବୁ ନିଷ୍ଫଳ, ଅକାରଣ । ମୁଣ୍ଡରେ ଚିତା କାଟି, ହାତରେ ମାଳା ଧରି ଭଜନ କରୁଥାଏ ଅଥଚ ପରର ଧନ ଲୁଟିବା ପାଇଁ ମନ କରୁଥାଏ, ତେବେ ତା’ ଠାରୁ ଦୁର୍ଜ୍ଜନ, ଠକ ସଂସାରରେ କେହି ନାହାନ୍ତି ।

 

ଛଇଳ ପଣ ନ ଥାଇ ଯାହାର

 

ଛଳ ନାହି ସତ୍ୟବଚନ ସାର,

 

ଛନ୍ଦ କୁଟିଳ ନଥାଇ ଯେ ଜନ,

 

କହେ ଦନାଇ ଏ ପୁରୁଷରତନ

।୭।

ଯେଉଁ ଚଢ଼େଇର ଭୂଇଁରେ ବସା

 

ପୋଇଲୀ ହୋଇ କରିଥାଇ ଓଷା,

 

ପାଣି-ବୁହାନ୍ତିଙ୍କ ମୁଣ୍ଡରେ ଖୋଷା

 

କହେ ଦନାଇ ନ ଫସରଫସା

।୮।

ଝିଅ ବିଭା କରି ନିଅନ୍ତି ଧନ

 

ଝଗଡ଼ି ହୋଇଣ ଯେବଣ ଜନ,

 

ଝିଙ୍କର ନିଅଇ ଅଳପ ଧନ,

 

କହେ ଦନାଇ ଏ ପ୍ରପଞ୍ଚ ମନ

।୯।

ନୃପତି ହୋଇଣ ନଥାଏ ମନ୍ତ୍ରୀ

 

ନ ଜାଣି ନ ପଢ଼ି ବିଦେଶ ଯାନ୍ତି,

 

ନାରଖାର ହୋଇ ଯେବଣ ଗତି

 

କହେ ଦନାଇ ଏ କୁତ୍ସିତ ଜାତି

।୧୦।

ଟଙ୍କ ନଥାଇ କି ଟଭା

 

ଟାଙ୍ଗରା ମୁଣ୍ଡରେ ଗଭା

 

କୁଳଭୁଆସୁଣୀ ଦାଣ୍ଡରେ ଉଭା

 

କହେ ଦନାଇ ଏ କାହିଁକି ଶୋଭା

।୧୧।

ଠିକଣା ନଥାଇ ଯେବଣ ଜନ

 

ଠିକରେ କହଇ ଦନାଇ ହୀନ,

 

ଠାପୁଆ ହୋଇଣ ଯେବଣ ବାରୁ

 

କହଇ ଦନାଇ ଏ କଥା ଗୁରୁ

।୧୨।

ଡରେ ଥରହର ନୁହଇ ସୁତ

 

ଡାକଇ ଯାହାର ପାଖକୁ ତାତ,

 

ଡାକ ନ ଶୁଣଇ ଧରଇ ଠେଙ୍ଗା

 

କହେ ଦନାଇ ଏ କୁଳବାଳୁଙ୍ଗା

।୧୩।

 

ଭାବାର୍ଥ- (୭-୧୨) ଯେଉଁ ଲୋକର ହୃଦୟରେ ଛନ୍ଦକପଟ ନ ଥାଏ, ଛଳ ନ ଥାଇ ସର୍ବଦା ସତ୍ୟକଥା କହେ, ଯେଉଁ ଲୋକ କୁଟିଳ ହୋଇ ନ ଥିବ ସେମାନେ ପୁରୁଷ ରତ୍ନ । ଯେଉଁ ଚଢ଼େଇର ଭୂଇଁରେ ବସା, ପୋଇଲି ହୋଇ ଓଷା କରୁଥିବ, ଯେଉଁ ପାଣି ବୋହୁଥିବା ଲୋକର ମୁଣ୍ଡରେ ଖୋଷାଥିବ- ସେମାନେ ଦନେଇଙ୍କ ଭାଷାରେ ସଂସାର ଫସା । ଯେଉଁମାନେ ଝିଅ ବିଭା କରି ଧନ ନିଅନ୍ତି, ଯେଉଁ ଲୋକ ଝଗଡ଼ି ହୋଇଥିବ, ଅଳପଧନକୁ ଝିଙ୍କି କରି ନେଇଯିବ- ଏମାନଙ୍କୁ ପ୍ରପଞ୍ଚ (କୁଟିଳ) ମନା ବ୍ୟକ୍ତି ବୋଲି କୁହାଯିବ ।

ଦନେଇର ମତରେ- ରାଜା ହୋଇଥିବ କିନ୍ତୁ ପାଖରେ ମନ୍ତ୍ରୀ ନ ଥିବ, କିଛି ନ ଜାଣି, ପାଠ ନ ପଢ଼ି ବିଦେଶ ଯାଉଥିବ, ଯାହାର ଗତିବିଧ ଖରାପ- ଏମାନଙ୍କୁ କୁତ୍ସିତ ବ୍ୟକ୍ତି ଭାବେ ଗଣାଯିବ । ଯେଉଁ ଟଭା ଆମ୍ବିଳା ଲାଗିବନି, ସେଇଟା କି ଟଭା ? ଟାଙ୍ଗରା ମୁଣ୍ଡରେ ଗଭା ବାନ୍ଧିବା ହାସ୍ୟାସ୍ପଦ କଥା । କୁଳଭୁଆସୁଣୀ ଦାଣ୍ଡରେ ବୁଲିଲେ ଲୋକହସା ହେବା ସାର ହୁଏ । ଯେଉଁ ଲୋକର କିଛି ଠିକ୍ ଠିକଣା ନ ଥାଏ, ଅନ୍ୟମାନଙ୍କୁ ହୀନ କଥା କହେ, ଛଳନା କରି କାମକୁ ଠକେ- ଏହିମାନଙ୍କ କଥା ଅତି ଅସୁନ୍ଦର । ବାପାଙ୍କୁ ଯେଉଁ ପୁଅର ଡର ନ ଥାଏ, ଡାକିଲେ ପାଖକୁ ଆସେ ନାହିଁ, ଓଲଟି ବାପାକୁ ମାରିବା ପାଇଁ ଠେଙ୍ଗାଧରେ, ସେହି ପୁଅକୁ କୁଳ ବାଳୁଙ୍ଗା କୁହାଯିବ ।

ଢୋଲ ହୋଇକରି ନ ଥାଇ ସ୍ୱର

 

ସର ହୋଇ ଯେବେ ନ ଥାଇ ନୀର,

 

ଢମାଳିଆ ନାମ ଅଟେ ସେ ପୁର

 

କହେ ଦନାଇ ଏ କଥା ନିକର

।୧୪।

ଅଣ୍ଟାଭଙ୍ଗା ହୋଇ ଯେବଣ ବାରୁ

 

ଫୁଲ ପ୍ରାୟେ ହୋଇ ପାଣିକଖାରୁ,

 

x x x x

 

କହେ ଦନାଇ ଏ ତିନିହେଁ ମାରୁ

।୧୫।

ତିଅଣ ହୋଇଣ ହୁଏ ଅଲଣା

 

ସୁନା ଝାଳିବାରେ ନାହିଁ ଟାଙ୍ଗଣା,

 

ତାଳ ଦରି ଯେବେ ହୁଅନ୍ତି ବଣା

 

କହେ ଦନାଇ ଏ ତିନିହେଁ କଣା

।୧୬।

ଥିର ହୋଇକରି ଶୁଣିବା ନରେ,

 

ଥୋଇଲି ମାଇପ ଯାହାର ଘରେ,

 

ଥୟ ନ ହୁଏ ଯେ ତାହାଙ୍କ ମନ,

 

କହଇ ଦନାଇ ସେ ବଡ଼ ହୀନ

।୧୭।

ଦାରିଦ୍ର୍ୟ ଅଟଇ ଯୁବା ବୟସ,

 

ଦୁଃଖୀ ଦେଖିଲେ ଯେ କରେ ନିରାଶ,

 

ଦୁର୍ବୁଦ୍ଧି ବୋଲିଣ ତାହାକୁ କହି

 

କହେ ଦନାଇ ଏ ନିନ୍ଦା ବୁହଇ

।୧୮।

ଧନ ସଞ୍ଚିଥାଇ ଯେବଣ ପ୍ରାଣୀ

 

ଧରିଣ ବିକଳ ହୁଅନ୍ତି ପୁଣି,

 

ଧୂଳି ନ ଲାଗଇ ଯେମନ୍ତ ପାଦ

 

କହେ ଦନାଇ ଏ ବଡ଼ ପ୍ରମାଦ

। ୧୯ ।

ନୃପତି ହୋଇଣ ନ ବୁଝେ ପୃଥୀ

 

ଲଜ୍ଜାବତୀ ଯେବେ ବେଶ୍ୟା ହୁଅନ୍ତି,

 

ନାହିଁ ଏହାଙ୍କ ସଂସାରରେ ବାସ

 

କହେ ଦନାଇ ଏ ଜାତିରେ ନାଶ

।୨୦।

 

ଭାବାର୍ଥ- (୧୪-୨୦) ଢୋଲ ହୋଇ ସେଥିରେ ସ୍ୱର ନ ଥିବ ବା ବାଦ୍ୟ ବାଜିବ ନାହିଁ, ପୋଖରୀ ଥିବ ପାଣି ନ ଥିବ- ଏ ସବୁକୁ ଢମାଳିଆ (କୌତୁକ) କୁହାଯିବ । ଏ କଥାକୁ ଦନେଇ କହିଲା । ଲୋକର ଅଣ୍ଟାଭଙ୍ଗା, ପାଣିକଖାରୁ ଫୁଲ ପ୍ରାୟ ହେବା, ଏହା ଭଲ ଲକ୍ଷଣ ନୁହଁ । ତୁଣ ଅଲଣା ହୋଇଥିବ, ସୁନାକୁ ଝାଳିଲା ବେଳେ ଟାଙ୍ଗଣା ନ ଥିବ, ତାଳବାଦ୍ୟ ଧରିବା ବେଳେ ବଣା ହୋଇଯିବା- ଏ ତିନିକୁ ଦନେଇ କଣା ଭାବେ ଅଭିହିତ କରିଛି । ଯାହା ଘରେ ଥୋଇଲା ମାଇପ ଥିବ, ଯାହାଙ୍କ ମନ ସର୍ବଦା ଅଥୟ ହେଉଥିବ, ସେ ଲୋକ ବଡ଼ ହୀନ ।

ଦନେଇ କହୁଛି, ହେ ସୁଜ୍ଞଜନେ ଶୁଣ । ଯୁବକ ଅବସ୍ଥାରେ ସେ ଦରିଦ୍ର ହୋଇଥିବ, ଦୁଃଖୀ ଲୋକଙ୍କୁ ଯେ ନିରାଶ କରେ ତାକୁ ଦୁର୍ବୁଦ୍ଧି କୁହାଯାଏ । ଏମାନେ ସବୁଦିନେ ନିନ୍ଦା ଶୁଣନ୍ତି । ଯେଉଁ ପ୍ରାଣୀ ବା ଲୋକ ଧନ ସଞ୍ଚୟ କରିଥାଏ, ତାକୁ ଧରି ପୁଣି ବିକଳ ହୋଇଥାଏ । ପାଦରେ ଯେମିତି ଧୂଳି ନ ଲାଗିବ ଏ ଚେଷ୍ଟା ଯେଉଁମାନେ କରିଥା’ନ୍ତି, ତାହା ନିଶ୍ଚିତ ଭାବେ ପ୍ରମାଦ କଥା- ରାଜା ହୋଇ ରାଜ୍ୟର କଥା ଯଦି ନ ବୁଝିଲା, ଲଜ୍ଜାବତୀ ଯେବେ ବେଶ୍ୟା ହେଲା- ତେବେ ସଂସାରରେ ଏମାନଙ୍କ ପାଇଁ ବାସ ନାହିଁ । ଜାତି ଏ ମାନଙ୍କ ଯୋଗୁଁ ଧ୍ୱଂସ ହେବ ।

ପାଇକ ହୋଇ ଚରଣଫାଟୁଆ

 

ବଳଦ ହୋଇ ବିନ୍ଧଣା ମଠୁଆ,

 

ପୁରୁଷ ହୋଇ ମାଇପଚାଟୁଆ

 

କହେ ଦନାଇ ସର୍ବେ ବଟୁଆ

।୨୧।

ଫୁଲ ହୋଇ ଯେବେ ନଥାଇ ବାସ,

 

ଫୁଲାଣିଆ ଯେବେ ହୁଏ ନରେଶ,

 

ଫନ୍ଦା କରି ଯେବେ କରଇ ହେଳା

 

କହେ ଦନାଇ ବୁଡ଼ିଯାଏ ଭେଳା

।୨୨।

ବ୍ରାହ୍ମଣ ହୋଇଣ ପିନ୍ଧଇ ଖଦି,

 

ବିଧବା ହୋଇଣ ଲଗାଏ ମୁଦି,

 

ବଡ଼ପଣ ଥାଇ ନ କରେ ସିଦ୍ଧି,

 

କହେ ଦନାଇ ଏ ନିର୍ଲଜ୍ଜ ବୁଦ୍ଧି

।୨୩।

ଭାଇ ସଙ୍ଗେ ଯେହୁ କରଇ କଳି

 

ଭାଣ୍ଡିଆ ବୋଲିଣ ତାହାକୁ ବୋଲି

 

ଭଲ ଭଲ ଲୋକେ ବୋଲନ୍ତି ମନ୍ଦ

 

କହେ ଦନାଇ ଏ ସ୍ୱଭାବେ ଅନ୍ଧ

।୨୪।

ମେଘ ଗରଜନ, ବ୍ରାହ୍ମଣ ଭୋଜନ,

 

ଛଅଶ’ ଚକୁଳି ଘଷମରଦନ,

 

ପିଢ଼ା ଫାଟଇ ଲାହି ଲେଉଟଇ,

 

କହେ ଦନାଇ ସେ ଠାଆରୁ ଉଠଇ

।୨୫।

ଜପଇ ମନରେ ତୁଳସୀ ମାଳି

 

ଗ୍ରାମେ ଗ୍ରାମେ ପଶି କରଇ ମେଳି,

 

ଯେମନ୍ତ ଲୋକର ଏମନ୍ତ ଗତି

 

କହେ ଦନାଇ ସେ ମିଛ ଭକତି

।୨୬।

ରାମ ନାମ ବୋଲୁଥାନ୍ତି ଯେ ମୁଖେ

 

ରାଗ ବହୁଥାନ୍ତି ଜଗତଲୋକେ

 

ରାଗୁଆ ବୋଲିଣ ତାହାକୁ କହି

 

କହେ ଦନାଇ ସେ ଯୋଗୀ ନୁହଇ

।୨୭।

 

ଭାବାର୍ଥ- (୨୧-୨୭) ପାଇକର ପାଦ ଫାଟି ଯାଇଥିବ, ବଳଦ ମଠରେ ଚାଲୁଥିବ, ପୁରୁଷ ହୋଇ ଭାର୍ଯ୍ୟା କଥାରେ ଉଠବସ୍ ହେଉଥିବ, ଏମାନଙ୍କୁ ବଟୁଆ (ଭାଟୁଆ) କୁହାଯିବନି ତ ଆଉ କ’ଣ କୁହାଯିବ ? ଫୁଲରେ ଯଦି ବାସନା ନ ଥିବ, ରଜା ଯଦି ଫୁଲାଣିଆ ହେବ, ତା’ କାମରେ ଯଦି ହେଳା କଲା, ଭେଳା ବୁଡ଼ିଗଲା ବୋଲି ଜାଣ । ବ୍ରାହ୍ମଣ ହୋଇ ଲୁଙ୍ଗି ଲୁଗା ପିନ୍ଧିବ, ବିଧବା ହୋଇ ମୁଦି ପିନ୍ଧିବ, ବଡ଼ପଣ ଥାଇ ସିଦ୍ଧିକାର୍ଯ୍ୟ କରିବ ନାହିଁ, ତେବେ ଏଗୁଡ଼ିକୁ ନିର୍ଲଜ୍ଜ ଛଡ଼ା ଆଉ କୁହାଯାଇପାରିବ ? ଭାଇ ସଙ୍ଗରେ ଯିଏ କଳି କରେ, ତାକୁ ଭାଣ୍ଡିଆ ବୋଲି କୁହାଯିବ । ମନ୍ଦ କାର୍ଯ୍ୟକୁ ଯେଉଁମାନେ ଭଲ କହନ୍ତି ସେମାନେ ସ୍ୱଭାବତଃ ଅନ୍ଧ । ମେଘର ଗର୍ଜନ ସମୟରେ ବ୍ରାହ୍ମଣର ଭୋଜନ ଆଉ ପିତାଫାଟି ଲାହି ଲେଉଟିବା ଏ ସ୍ଥାନକୁ ଉଠିପଡ଼ିବ ବୋଲି ଦନେଇ କହେ-

 

ଏଣେ ତୁଳସୀ ମାଳିରେ ଜପୁଥିବ, ତେଣେ ଗାଁ, ଗାଁ’ରେ କଳି ଲଗାଉଥବ, ସେହିଭଳି ଲୋକର ଗତିମତି ଆଦୌ ଭଲ ନୁହେଁ । ଦନେଇ ଭାଷାରେ ଏ ସବୁ ମିଛ ଭକ୍ତି । ମୁଖରେ ଯେଉଁମାନେ ସର୍ବଦା ରାମନାମ ଧରୁଥିବେ, ଏଣେ ଲୋକଙ୍କ ଉପରେ ରାଗୁଥିବେ, ସେମାନଙ୍କୁ ରାଗୁଆ କୁହାଯାଏ । ଦନେଇ ଭାଷାରେ ଏମାନେ ପ୍ରକୃତ ଯୋଗୀ ନୁହଁନ୍ତି ।

 

ଲାଜ ନଥାଇ ଯେବଣ ମୁଖେ

 

ଚୋରି କରିଯାଏ ଆଲୁଅ ପକ୍ଷେ,

 

ନିର୍ଲଜ୍ଜପଣରେ ଖାଆନ୍ତି ମାଡ଼

 

କହେ ଦନାଇ ତାଙ୍କ ମୁହଁ ପୋଡ଼

।୨୮।

ବ୍ରାହ୍ମଣ ରାଜା ଖଣ୍ଟ ପରଜା

 

ଦହଡ଼ ଆମ୍ବିଳ ଶୀତଳ ଭଜା

 

କହେ ଦନାଇ ଏ କାହିଁକି ମଜା

।୨୯।

ଶ୍ରୀମନ୍ତ ହୋଇଣ ଯେବଣ ନର

 

ଶାନ୍ତଶୀଳ ହୋଇ କହେ ଉତ୍ତର,

 

ଶୁଣଇ ପଢ଼ଇ ଜାଣେ ବିବେକ,

 

କହେ ଦନାଇ ସେହୁ ବଡ଼ଲୋକ

।୩୦।

ଶୁଆ ହୋଇ ଯେବେ ନ ଭାଷେ ବାଣୀ

 

ଶିଷ୍ୟ ହୋଇ ଯେବେ ଗୁରୁ ନ ମାନି

 

ସଂସାରେ ବୋଲନ୍ତି ଏହାକୁ ନଷ୍ଟ,

 

କହେ ଦନାଇ ଏ ତ ବଡ଼ କଷ୍ଟ

।୩୧।

 

 

ସହୀ ବସିଥିବ ସାଙ୍ଗସରିସା

 

ଶାନ୍ତଶୀଳ ହୋଇ କହିବ ଭାଷା,

 

ସଂସାରେ ବୋଲନ୍ତି ଉତ୍ତମ ଲୋକ

 

କହେ ଦନାଇ ସେ ବଡ଼ ବିବେକ

।୩୨।

ହସନ୍ତି ମନରେ ନଥାଇ ଦୟା

 

ହୃଦୟ ଭିତରେ କରନ୍ତି ମାୟା,

 

ହେରେଷା ବୋଲିଣ ତାହାଙ୍କୁ କହି

 

କହେ ଦନାଇ ଏ କଥା ନୁହଇ

।୩୩।

କ୍ଷକ୍ଷନ୍ଦେ ମୋହର ନଧର ଦୋଷ

 

କ୍ଷକ୍ଷନ୍ଦେ କହଇ ଦନାଇ ଦାସ,

 

କ୍ଷମାସାଗରଙ୍କ ପାଦେ ଶରଣ

 

କ୍ଷେମରେ ଦନାଇ ପଶେ ଶରଣ

।୩୪।

 

ଭାବାର୍ଥ- (୨୮-୩୪) ଯାହାକୁ ଲାଜ ନ ଥିବ, ଶୁକ୍ଳପକ୍ଷ ରାତିରେ ଚୋରି କରି ନିର୍ଲଜ୍ଜ ପଣରେ ମାଡ଼ ଖାଇବ । ଏମାନଙ୍କ ମୁହଁ ପୋଡ଼ା । ବ୍ରାହ୍ମଣ ରାଜା, ଖଣ୍ଟ ପରଜା, ଦହଡ଼ (ତାତିଲା) ଆମ୍ବିଳ, ଶୀତଳ ଭଜା- ଦନେଇର ମତରେ ଇଏ କେଉଁଠିକୁ କାର୍ଯ୍ୟ ନୁହଁ । ଯେଉଁ ବ୍ୟକ୍ତି ଶ୍ରୀମନ୍ତ, କଥାବାର୍ତ୍ତା ତା’ର ଶାନ୍ତଶୀଳ, ବିବେକବାନ, ସର୍ବଦା ପଢ଼ାଶୁଣା କରୁଥାଏ, ତାକୁ ବଡ଼ଲୋକ ପଣରେ ନିଶ୍ଚୟ ଗଣାଯିବ । ଶୁଆ ହୋଇ ଯେବେ କୌଣସି କଥା କହିବ ନାହିଁ, ଶିଷ୍ୟ ହୋଇ ଗୁରୁଙ୍କୁ ଭକ୍ତି କରିବ ନାହିଁ - ସେହିଭଳି ଚରିତ୍ର ହେଉଛି ନଷ୍ଟ ଚରିତ୍ର । ଦନେଇ ଭାଷାରେ ଏହା ହେଉଛି ବଡ଼ କଷ୍ଟ । ସମାନ ଲୋକ ବା ସାଙ୍ଗସରିସା ସହିତ ମିତ୍ରତା କରିବ, ଶାନ୍ତଶୀଳ ହୋଇ କଥାଭାଷା କରିବ- ଏ ମାନଙ୍କୁ ସଂସାରରେ ଉତ୍ତମ ଲୋକ କୁହାଯିବ । ଏମାନେ ବଡ଼ ବିବେକବାନ-

 

ସଂସାରରେ ଅନେକ ଲୋକ ଅଛନ୍ତି, ମନ ମଧ୍ୟରେ ହସୁଥିବେ ; କିନ୍ତୁ ତାଙ୍କ ପାଖରେ ଦୟାଭାବ ନ ଥିବ, ହୃଦୟରେ କୂଟକପଟ ଭରି ରହିଥିବ । ମାୟା ଆଚରଣ କରୁଥିବେ, ସେମାନଙ୍କୁ ହେରେଷା (ଘୋଡ଼ା ପରି ଉଚ୍ଚ ହାସ୍ୟକାରୀ, ନିର୍ଲଜ୍ଜ) କୁହାଯାଏ । ହେ ସୁଜ୍ଞ ଜନେ, ଦନେଇ ଯାହା କହିଲା, ତାକୁ ଦୋଷ ଧରିବ ନାହିଁ । କ୍ଷମାସାଗରଙ୍କ ପାଦରେ ଶରଣ ପଶୁଛି, ଦନେଇକୁ ଉଦ୍ଧାର କରି ।

Image